ଜୀବନ ନାଟକ - ଶମ୍ଭୁନାଥ ସାହୁ




ବାଟ କେତେ ଲମ୍ବା ମୁଁ ନ ଜାଣଇ

ଅମଡ଼ା ବାଟରେ ଅଟେ ବାଟୋଇ

ଥକି ନାହିଁ ପାଦ ଚାଲୁଛି ନିତି 

ଲକ୍ଷ୍ୟର ତ  ଦିନେ  ହୋଇବ  ଇତି 

ଜୀବନ ନାଟକ

ସରିଯିବ ହୋଇ ପାଣି ଫୋଟକ ।


ଦେଖୁ ଦେଖୁ ଦିନ ଯାଉଛି ଗଡି

ମାୟା ମୋହ ଜାଲେ କେବେ ନ ପଡି

ଏ ଭବ ସାଗରୁ ହୋଇବୁ ପାରି

ସାଥେ ଥିବ ଯଦି ସେ ଗିରିଧାରୀ,

ଜୀବନ ନାଟକ

ସରିଯିବ ହୋଇ ପାଣି ଫୋଟକ ।


ଯେତେ ଦିନ ବଞ୍ଚିଥିବୁ ଏ ଭବେ

କର୍ମ ଜାଣି ଫଳ ଭୋଗିବୁ ସେବେ,

ଧର୍ମ କର୍ଯ୍ୟେ ହାତ ବଢାଅ ତୁହି

ଅଧର୍ମେ ପୁଣ୍ୟକୁ ଘଟାଅ ନାହିଁ,

ଜୀବନ ନାଟକ

ସରିଯିବ ହୋଇ ପାଣି ଫୋଟକ ।


କଳିଯୁଗ ଏତ ମିଥ୍ୟା ପ୍ରବଣ

ସତ୍ୟର ତ ଏଠି ଘଟୁଛି ପ୍ରାଣ,

ଧର୍ମ ଯୁଦ୍ଧେ ଧର୍ମ ହେବ ରକ୍ଷଣ

ବିନାଶିତ ହେବେ କଂସ ରାବଣ,

ଜୀବନ ନାଟକ

ସରିଯିବ ହୋଇ ପାଣି ଫୋଟକ ।


ବଇରୀ ସାଜିଛି ଏ କଳି କାଳ

ବନ୍ଧ ନ ବାନ୍ଧିଲେ ଶୁଖିବ ଜଳ,

ମିଛ ମାୟା ଲୋଭ ମୋହ ସଂସାର

ଶେଷ ବେଳେ ନୁହେ କେହି କାହାର,

ଜୀବନ ନାଟକ

ସରିଯିବ ହୋଇ ପାଣି ଫୋଟକ ।


କାହିଁକି ଭ୍ରମିବ ମାୟା କାନନେ

ଆଶାର ପ୍ରସୁନ ପାଇଁ ଯତନେ,

ଆଶାର ଆଲୋକ ସେ ଏକା ହରି

ନିତି ପଡୁଥିବେ ହୃଦୟେ ଝରି,

ଜୀବନ ନାଟକ

ସରିଯିବ ହୋଇ ପାଣି ଫୋଟକ ।


ଶମ୍ଭୁନାଥ ସାହୁ

  ସର୍ବେ, ସମ୍ବଲପୁର 

ମାେ-୮୦୧୮୬୧୪୧୧୦

Post a Comment

0 Comments